ମୋ ପାଇଁ ଲେଖନ୍ତ ନି କବିତା ଟିଏ(Write a Poem for Me)

ଏମିତି ଥରେ କହୁ କହୁ କହିଦେଲି 
ଏତେ ତ କବିତା ଲେଖୁଛ 
ଜହ୍ନ ତାରା ,ଆକାଶ ପାହାଡ 
ଏଇ ନିର୍ଜିବ ଜଗତ କୁ ନେଇ
ମୋ ପାଇଁ ବି ଥରେ ଲେଖନ୍ତ ନି କବିତା ଟିଏ….
ମୋ ସଜ୍ଜଳ କଜ୍ଜଳ ଆଖି କୁ ନେଇ
ମୋ ଗୋଲାପ ପାଖୁଡା ପରି ଓଠ କୁ ନେଇ
ମୋ ରୁଣୁଝୁଣୁ ପାଉଁଜି କୁ ନେଇ
କି ମୋ ହାତ ର କଙ୍କଣ କୁ ନେଇ
ଯଦି ନଲେଖି ପାରିଲ ମତେ ନେଇ କବିତା ଟିଏ
କଣ ବା ଲାଭ ମୋର ସ୍ଵାମୀ ଭାବେ ଜଣେ କବି ଙ୍କୁ ପାଇ ?
ତମେ ବି ଚିଡେଇବାକୁ ଯାଇ କହିଦେଲ
ତମେ କଣ ନଈ ନା ଝରଣା
ଜହ୍ନ ନା ଜୋଛନା ନା ମୋର ପ୍ରେମିକା ଯେ
ତମ କୁ ନେଇ ଲେଖିବି ମୁଁ କବିତା…………?
ହେଲେ ବୁଝିପାରୁନି ଆଜି…. କାହିଁ
କାଗଜ କଲମ ଧରି ବସିଯାଇଛ ମୋ ପାଖେ?
ଚିତ୍ରକର ଟେ ପରି ପ୍ରତିଥର ମୋ ମୁହଁ କୁ ଚାହିଁ
ଗାରେଇ ଦେଉଛ କଣ ଦି’ପଦ ତମ କାଗଜ ରେ
ଆଜି ତ ମୁଁ କହିନଥିଲି ମୋ ପାଇଁ କବିତା ଟେ ଲେଖ ବୋଲି
ତେବେ…….?
କେଜାଣି କଣ ଲେଖୁଥିବ ତମେ?
ମୋ ଆଖି ମୋ ଓଠ ର ବର୍ଣ୍ଣନା କରୁଥିବ କି
ମନରେ ଥିବା କିଛି ରାଗ କୁ କବିତା ର ରୂପ ଦେଉଥିବ?
ମୋର ନିନ୍ଦା ହେଉ କି ପ୍ରସଂଶା ଜାଣିଛି ତୁମେ ଯାହା ବି ଲେଖିଥିବ
ତମ କୁ କିନ୍ତୁ ମିଳିଯିବ ଖୁବ ପ୍ରସଂଶା ,ଖୁବ ବାଃ ବାଃ ……
ମୁଁ ଯାହା ଖାଲି ଏଠି ଛଟପଟ ହେଉଥିବି ଦେଖିବାକୁ ,ହେଲେ ପାରୁନଥିବି ଦେଖି
କେମିତି ଦେଖିବି କହିଲ ମୋର କି ଆଉ ବଳ ଅଛି
ମଜବୁତ ଏ କାଚ ଫ୍ରେମ କୁ ଭାଙ୍ଗି ,ତୁମେ ଦେଇଥିବା
ଫୁଲ ମାଳ ଟା ବେକରୁ କାଢି
ପହଞ୍ଚି ପାରିବି ତୁମ ଡାଏରୀ ପାଖରେ ………..?
ଜାଣି ନଥିଲି ତୁମ କବିତା ରେ ସ୍ଥାନ ପାଇବାକୁ ହେଲେ
ମତେ ବି ପାଲଟିବାକୁ ହେବ ଆକାଶ, ପାହାଡ ଜହ୍ନ ତାରା ପରି ନିର୍ଜିବ ବସ୍ତୁ ଟେ……………..

 By:Julee Behera

You may also like...

1 Response

Leave a Reply

Your email address will not be published. Required fields are marked *