Choice of Institution

 ଇନ୍‌ଜିନିୟରିଂ ମହାବିଦ୍ୟାଳୟ ଚୟନ- “କ୍ୟାମ୍ପସ୍‌” କଣ ସବୁ କିଛି ?
– ଅରୁନ୍‌ ପୂଜାରୀ
ଜେଇଇ ଫଳାଫଳ ଘୋଷିତ ହେବା ପରେ ରାଜ୍ୟର ଅଗଣିତ ପିତାମାତା, ଅଭିଭାବକ ଓ ବିଦ୍ୟାର୍ଥୀ କାଉନ୍‌ସେଲିଙ୍ଗ୍‌ ଅପେକ୍ଷାରେ ଦିନ ଗଣୁଛନ୍ତି, କେତେ ଯେ ଆଶା, ଆକାଂକ୍ଷା, ଉଦ୍ଦୀପନା, ଆଶଙ୍କା, ଭୟ ଓ ଉତ୍ତେଜନା | କ’ଣ ହେବ? ନିଜ ନିଜ ସ୍କୋର୍‍ ଅନୁଯାୟୀ ସବୁଠାରୁ ’ଭଲ’ ବୈଷୟିକ-କଲେଜ, ଇପ୍ସିତ ବ୍ରାଞ୍ଚ ପାଇବା ସମସ୍ତଙ୍କ ଆଶା, ଦରକାର ପଡିଲେ ସତ୍ୟନାରାୟଣ ବ୍ରତ କରିଥାଆନ୍ତି ବା ଦେବୀ ମନ୍ଦିରରେ ପ୍ରଦୀପ ଜଳାଇଥାଆନ୍ତି, ନିଜ ଇଚ୍ଛାପୂର୍ଣ୍ଣ ଅଭିପ୍ରାୟରେ | ତେବେ ’ଭଲ’ ବୈଷୟିକ-କଲେଜ ମାନେ କ’ଣ? କଲେଜଟିକୁ ଭଲ କହିବାକୁ ହେଲେ ଆମେ କଲେଜର ଅନେକ ଦିଗ ଦେଖିବା- ବୌଦ୍ଧିକ ପୁଞ୍ଜି (Intellectual capital), ଭିତ୍ତିଭୂମୀୟ ସୁବିଧା (Infrastructural facilities), ଶିକ୍ଷାଦାନ ଶୈଳୀ (Pedagogic system), ଔଦ୍ୟୋଗିକ ସହଯୋଗ (Industrial collaboration) ଓ ତଥାକଥିତ ’କ୍ୟାମ୍ପସ’ (Placement). କିନ୍ତୁ ଆମ ରାଜ୍ୟର ଅଧିକାଂଶ ଆଶାୟୀ ବିଦ୍ୟାର୍ଥୀ ଓ ତାଙ୍କ ଅଭିଭାବକଗଣ ଭାବନ୍ତି ଯେ ଯଦି କଲେଜର କେବଳ ଭଲ ’କ୍ୟାମ୍ପସ୍‌’ ଅଛି ତେବେ ହିଁ କଲେଜଟି ଭଲ କଲେଜ | ଜନସାଧାରଣଙ୍କ ଏଇ ଭାବନାକୁ (ବା ପ୍ରହେଳିକାକୁ) ଆଖିରେ ରଖି ରାଜ୍ୟର ବୈଷୟିକ ମହାବିଦ୍ୟାଳୟଗୁଡ଼ିକ ’କ୍ୟାମ୍ପସ’ ବିଷୟରେ ବିଜ୍ଞାପନ ଜୋର୍‌ସୋର୍‌ରେ କରନ୍ତି | ପ୍ରଶ୍ନ ଉଠେ ସତରେ କଣ, ’କ୍ୟାମ୍ପସ’ ଏତେଟା ଗୁରୂତ୍ୱପୂର୍ଣ୍ଣ | ଅଭିଧାନ ଅନୁଯାୟୀ ’କ୍ୟାମ୍ପସ’ ମାନେ ହତା, କିନ୍ତୁ ଉପସ୍ଥିତ ପରିପ୍ରେକ୍ଷୀରେ ’କ୍ୟାମ୍ପସ’ ମାନେ ହେଲା ବିଦ୍ୟାର୍ଥୀ ତାର ଶିକ୍ଷା-ଅବଧି ମଧ୍ୟରେ ଓ ପରିସମାପ୍ତି ପୂର୍ବରୁ ହତା ବାହାରକୁ ନଯାଇ କଲେଜ କର୍ତ୍ତୁପକ୍ଷଙ୍କ ଆୟୋଜନରେ ଆସିଥିବା କମ୍ପାନୀ ଦ୍ୱାରା ନିଯୁକ୍ତିଲାଭ କରିପାରିବା | ଅଧିକରୁ ଅଧିକତର କମ୍ପାନୀ କ୍ୟାମ୍ପସ୍‌-ଗସ୍ତ କରିବା ଓ ଅଧିକରୁ ଅଧିକ ବିଦ୍ୟାର୍ଥୀ ଅଧିକରୁ ଅଧିକତର ଆୟସାପେକ୍ଷ ନିଯୁକ୍ତି ହାସଲକରିପାରିବାଟା କଲେଜର ପାରଦର୍ଶିତା ବୁଝାଯାଏ | ଉପରୋକ୍ତ ଅନ୍ୟ ଚାରୋଟି ଦିଗର ମାନେ କିଛି ନଥାଏ | ତେଣୁ ଅନେକ କଲେଜ ନିଜନିଜ ଏଇ ପାରଦର୍ଶିତାର ବିଜ୍ଞାପନ କରି ବିଦ୍ୟାର୍ଥୀମାନଙ୍କୁ ଆକର୍ଷିତ କରିଥାଆନ୍ତି, ଶତକଡ଼ା ଅଙ୍କରେ ଚାକିରୀ ପାଇଥିବା ବିଦ୍ୟାର୍ଥୀ, ବାର୍ଷିକ ଦରମା ଓ ହତା-ଗସ୍ତରେ ଆସିଥିବା କମ୍ପାନୀମାନଙ୍କ ତାଲିକା ବିଜ୍ଞାପିତ କରିଥାଆନ୍ତି | ଏଇ ସମସ୍ତ ସୂଚନା ମୂଖ୍ୟତଃ ଭ୍ରମିକ ଓ ପଥଭ୍ରଷ୍ଟିକ, ଯେମିତି- ବାର୍ଷିକ ବେତନ ଦର୍ଶାଇବା ସମୟରେ ଜଣେ ବା ଦୁଇଜଣ ପାଇଥିବା ଅଧିକତମ ଦରମାକୁ ମାପଦଣ୍ଡ ହିସାବରେ ନେଇଥାଆନ୍ତି, ଦରମାଟି cost-to-companypre-tax, ଅବା take-home ତାହା ଗୁପ୍ତ ରଖି ଥାଆନ୍ତି, ବା ମାସିକ ସ୍ଥାନରେ ବାର୍ଷିକ ବେତନ ଦର୍ଶାଇ ଥାଆନ୍ତି- ଏଇ ବର୍ଷ ଏକ ପ୍ରଖ୍ୟାତ କଲେଜର websiteରେ ବାର୍ଷିକ ଦରମା 2.4 ଲକ୍ଷ ଦର୍ଶାଯାଇଛି | ଯଦି ଏହା cost-to-company ହେଇଥିବ ତେବେ ମାସିକ ଆୟ ପନ୍ଦର ହଜାରରୁ ବେଶି ହେବନାହିଁ | GATE ପାଇଥିବା ଛାତ୍ରମାନଙ୍କୁ ଭାରତ ସରକାର ୟାଠୁ ଅଧିକ ବୃତ୍ତି ଦିଅନ୍ତି ଉଚ୍ଚଶିକ୍ଷା ନିମନ୍ତେ, ସାଧାରଣ କର୍ମଚାରୀଟିଏ ବି ଅଧିକ ବେତନ ପାଏ | ଜଣେ ଇନ୍‍ଜିନିୟରିଂ ଛାତ୍ର ନିମନ୍ତେ ମାସକୁ ପନ୍ଦର ହଜାର ବେତନ ଅତିଶୟ ନ୍ୟୁନ | ତଥାପି ଅଭିଭାବକମାନେ ନିଯୁକ୍ତି ପାଇବାର ଆଶ୍ୱାସନା ମିଳୁଥିବାରୁ ଏହିପ୍ରକାର କଲେଜରେ ଅଧିକ ଆଗ୍ରହ ପ୍ରକାଶ କରନ୍ତି | ସାଧାରଣତଃ ନିଯୁକ୍ତି ପାଇବାରେ ଅକୃତକାର୍ଯ୍ୟ ହେଇଥିବା ସଂଖ୍ୟା କଲେଜ ଦିଅନ୍ତି ନାହିଁ, ଜଣେ ମେଧାବୀ ଛାତ୍ର ଯଦି ଏକାଧିକ ନିଯୁକ୍ତି ପାଇଥାଏ ତେବେ କଲେଜ ସେସବୁ ପୃଥକ ଗଣତିରେ ନିଅନ୍ତି | ଅନେକ ଉଚ୍ଚମାନର ଶିକ୍ଷାଦାନ କରୁଥିବା କଲେଜର ଅଧିକାଂଶ ଛାତ୍ରଛାତ୍ରୀ ସ୍ନାତକୋତ୍ତରଶିକ୍ଷାର୍ଥେ ବିଦେଶଯାତ୍ରା କରନ୍ତି ଓ ’କ୍ୟାମ୍ପସ’ ପ୍ରଣାଳୀରେ ଭାଗନିଅନ୍ତି ନାହିଁ | ଅନ୍ୟପକ୍ଷରେ କେତେକ କଲେଜରେ ଛାତ୍ରଛାତ୍ରୀ ନ୍ୟୁନମାନର କ୍ୟାରିୟର ଥିବାରୁ’କ୍ୟାମ୍ପସ’ ପ୍ରଣାଳୀରେ ଭାଗନେବା ଯୋଗ୍ୟବିବେଚିତ ହୁଅନ୍ତି ନାହିଁ, ଏହିପ୍ରକାର ସୂଚନା ସାଧାରଣ ନାଗରିକଙ୍କୁ ଦର୍ଶାଯାଏନାହିଁ | ଏହାବ୍ୟତୀତ ଆଜିକାଲି ଯୁଗରେ ଜଣେ ଇଞ୍ଜିନିୟର ପ୍ରାୟ ୭୦ବର୍ଷ ବୟସ ପର୍ଯ୍ୟନ୍ତ ରୋଜଗାର କରିବା ସକ୍ଷମ, ତେଣୁ ଉତ୍ତୀର୍ଣ୍ଣ ହେବା ଉପରାନ୍ତ ଅନ୍ତତଃ ୫୦ ବର୍ଷ ରୋଜଗାର କରିବ | ତେଣୁ ଆଜିର ନିଯୁକ୍ତି ଯେ ଜୀବନର ୫୦ ବର୍ଷର ଭବିଷ୍ୟତକୁ ନିର୍ଦ୍ଧାରିତ କରିବ ତାହା ଆଶା କରିବା ଯୁକ୍ତିଯୁକ୍ତ କି? ଆହୁରି ଏକ ସ୍ୱର୍ଣ୍ଣନୀତି ହେଲା ଯେ କଠିନ ପରିଶ୍ରମ, ଅଧ୍ୟବସାୟ ଓ ସଚ୍ଚୋଟ ଭାବରେ ଶିକ୍ଷାଗ୍ରହଣ କରିଥିଲେ ଯେ କୌଣସି ବିଷୟ ହେଉନା’କାହିଁକି ନିଯୁକ୍ତି-ପ୍ରାପ୍ତି ସୁନିଶ୍ଚିତ | ଆଜିକାଲିର ଘରୋ‍ଇ ସଂସ୍ଥା ଗୁଡାକ ଭଲଭାବରେ ଜାଣନ୍ତି କାହାକୁ ନିଯୁକ୍ତି ଦେଲେ ଓ କେତେ ବେତନ ଦେଲେ ନିଜେ ଲାଭବାନ ହେବେ | ନୀଚମାନର ଶିକ୍ଷା ସହ ’କ୍ୟାମ୍ପସ’ ପ୍ରଣାଳୀ ନିଯୁକ୍ତି ଉଚ୍ଚମାନର ଶିକ୍ଷାର ବିକଳ୍ପ ନୁହେଁ | ଯଦି ଆମେ ଚାକିରି-ଜୀବନର ୫୦ବର୍ଷର ବିଶ୍ଳେଷଣକରିବା ତେବେ ’କ୍ୟାମ୍ପସ’ ଓ ଅଣ’କ୍ୟାମ୍ପସ’ ନିଯୁକ୍ତିରେ ବେତନର ପାର୍ଥକ୍ୟ ଶତକଡ଼ା ୫ ରୁ ଅଧିକ ନୁହେଁ ଓ ସେଇ ୫% ପାଇଁ ଆମେ ଆମର ଯୁବାପିଢୀକୁ ପାଠପଢା ଆଡକୁ ନ ପ୍ରବର୍ତ୍ତେଇ ଏହି ’କ୍ୟାମ୍ପସ’ ପ୍ରଣାଳୀ ଜନିତ ମୂଷାଦୌଡ଼ ଆଡକୁ ନେଇଯିବା କି? ଫଳସ୍ୱରୁପ, ଯେଉଁ ବୟସରେ ବିଦ୍ୟାର୍ଥୀ ତାର ଭବିଷ୍ୟତ ଜୀବନ ଗଠନ କରିବା କଥା, ନୈତିକ, ସାମାଜିକ ଆଦର୍ଶ ଅଭ୍ୟାସ କରିବା କଥା ସେଇ ବୟସରେ ସେ ଯେନତେନପ୍ରକାରେ ମାନେ କପି କରି ପାସ କରିବା, କଲେଜରେ ଦିଆହେଇଥିବାassignment/practical ନକରିବା, ଅନ୍ୟ କାହାର ପ୍ରୋଜେକ୍ଟ-ରିପୋର୍ଟ ନେଟ୍‍ରୁ ଡାଉନ୍‌ଲୋଡ଼୍‍ କରି ନିଜନାଆଁରେ ଜମାକରିବା ପରି ଅସତ୍‌ ପ୍ରଥା ଅବଲମ୍ବନ କରିବାରେ ଆମେ ପ୍ରୋତ୍ସାହିତ କରୁନାହୁଁ କି? ତାହା ବି କେବଳ ଅତି ସାମାନ୍ୟ ଆର୍ଥିକ ଲାଭ ନିମନ୍ତେ | ମୋର ଅଭିଜ୍ଞତାରୁ ମୁ ଯାହା ଜାଣେ, ଅନେକ ଆଇଟି-କମ୍ପାନୀ ଆସି ବହୁ ସଂଖ୍ୟାରେ କ୍ୟାମ୍ପସ ନିଯୁକ୍ତି ଦିଅନ୍ତି | ଏହି ସବୁ କମ୍ପାନୀ ସାଧାରଣତଃ ଆଇଟି-ସେବା-ଯୋଗାଣ କରିଥାଆନ୍ତି ଯାହାକି ବୁଦ୍ଧିହୀନ-ଚିରାଚରିତ କାର୍ଯ୍ୟ | ଫଳସ୍ୱରୁପ ଏପରିକି ସିଭିଲ୍‌-ବ୍ରାଞ୍ଚର ଛାତ୍ର ବି ଆଇଟି କମ୍ପାନୀରେ ନିଯୁକ୍ତି ପାଇଥାଏ | ଯଦିଓ ଏମାନେ ଆଇଟି-ଉଦ୍ୟୋଗ ସଂସ୍ଥା, ଉଚ୍ଚମାନର ଶିକ୍ଷାସଂସ୍ଥାର ଆଇଟି-ସଂପର୍କୀୟ ଛାତ୍ରସବୁ ଏହିପ୍ରକାର କମ୍ପାନୀର ହତା-ଗସ୍ତ ସମୟରେ ହଷ୍ଟେଲରୁ ବାହାରନ୍ତି ନାହିଁ , କାରଣ ସେମାନେ ଅତି ସାଧାରଣ କାର୍ଯ୍ୟ-ଦାୟିତ୍ୱ ଥିବା ନିଯୁକ୍ତି ନାପସନ୍ଦ କରନ୍ତି | ଅପରପକ୍ଷରେ ବୁଦ୍ଧିଦୀପ୍ତ ନିଯୁକ୍ତି ଦେଉଥିବା କମ୍ପାନୀ ପ୍ରାୟତଃ ଆମରାଜ୍ୟକୁ ଗସ୍ତରେ ଆସନ୍ତି ନାହିଁ | ସେମାନେ କ୍ୟାମ୍ପସକୁ ନ ଆସି ସିଧାସଳଖ ଭାବରେ ତାଙ୍କ ନିଜ ଅଫିସ-ହତାରେ ସାକ୍ଷାତ ଆୟୋଜନ କରି ନିଯୁକ୍ତି ଦିଅନ୍ତି | ତାଙ୍କର ବେତନ ହାର ଯଥେଷ୍ଟ ଅଧିକ |
ମୋ ମତରେ ଅଭିଭାବକମାନେ କଲେଜ ଚୟନ କଲାବେଳେ କେବଳ କ୍ୟାମ୍ପସ ଉପରେ ଗୁରୁତ୍ୱ ନଦେଇ ଅନ୍ୟସବୁ ଦିଗ ଦେଖି ଭାବିଚିନ୍ତି କଲେଜ ଚୟନ କରି ନିଜ ସନ୍ତାନମାନଙ୍କୁ ଉପଯୁକ୍ତ ବୈଷୟିକ ଜ୍ଞାନର ଶିକ୍ଷା ଆହରଣ କରାଇବାରେ ଦିଗଦର୍ଶନ କରନ୍ତୁ |

(Writer is the former VC of Sambalpur University)

You may also like...

Leave a Reply

Your email address will not be published. Required fields are marked *